ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୯ତମ ଜୟନ୍ତୀ

ଭୁବନେଶ୍ୱର: ଆଜି ମାର୍ଚ୍ଚ ୫ ତାରିଖ । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୯ତମ ଜୟନ୍ତୀ । ବିଜୁ ବାବୁ ଥିଲେ କଳିଙ୍ଗ ମାଟିର ଦ ଟଲ୍ ମ୍ୟାନ। ନବ ଉତ୍କଳର ଅନ୍ୟତମ ପୁରୋଧା । କିଏ କହେ ’ମାଟିର ବରପୁତ୍ର’ କିଏ କହେ ’ଝଡ଼ର ଇଗଲ’ । ରୋକଠୋକ୍ କଥା । ସ୍ପଷ୍ଟ, ଶାଣିତ ଓ ସାହସିକ ସ୍ୱର । ତାଙ୍କର ଅଭିନବ ଉଦ୍ୟମ, ସାହସ ଏବଂ କ୍ରାନ୍ତିକାରୀ ପଦକ୍ଷେପ ଯୋଗୁଁ ସେ ସମସ୍ତଙ୍କ ମନର ମହାନାୟକ। ତାଙ୍କ ବ୍ୟକ୍ତିତ୍ୱ ଓଡିଶାବାସୀଙ୍କୁ ସବୁବେଳେ ଉଦବୁଦ୍ଧ କରିଆସିଛି, ପ୍ରେରଣା ଯୋଗାଇ ଆସିଛି। ବିଜୟାନନ୍ଦ ପଟ୍ଟନାୟକ, ସମସ୍ତଙ୍କ ପ୍ରିୟ ବିଜୁ ବାବୁ । ଏହି ମହାନ ଦୂରଦୃଷ୍ଟି ସମ୍ପନ୍ନ ତଥା ଟାଣୁଆ ନେତା ୧୯୧୬ ମାର୍ଚ୍ଚ ୫ରେ କଟକ ଅନ୍ତର୍ଗତ ତୁଳସୀପୁର ଆନନ୍ଦ ଭବନରେ ଏକ ସ୍ୱାଧୀନତା ସଂଗ୍ରାମୀ ପରିବାରରେ ଜନ୍ମଗ୍ରହଣ କରିଥିଲେ ।

ସ୍ୱାଧୀନତା ପରେ ଓଡ଼ିଶାକୁ ଏକ ବିଭବଶାଳୀ ରାଜ୍ୟ ଭାବେ ଗଢ଼ି ତୋଳିବାକୁ ସେ ଦେଖିଥିଲେ ସ୍ୱପ୍ନ । ୧୯୫୨ରେ ଜଗନ୍ନାଥପ୍ରସାଦ ଓ ୧୯୫୭ରେ ସୋରଡ଼ା ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ୬୦ ଦଶକ ଆରମ୍ଭରେ ରାଜ୍ୟ କଂଗ୍ରେସର ମଙ୍ଗ ଧରିଥିଲେ ବିଜୁବାବୁ । ବିଜୁବାବୁଙ୍କ ନେତୃତ୍ୱରେ ୧୪୦ ଆସନରୁ ୮୨ ଆସନ ଜିତିଥିଲା କଂଗ୍ରେସ । ୧୯୬୧ରେ ମାତ୍ର ୪୫ ବର୍ଷ ବୟସରେ ବିଜୁ ପଟ୍ଟନାୟକ ହୋଇଥିଲେ ଓଡ଼ିଶାର ମୁଖ୍ୟମନ୍ତ୍ରୀ । ଆଧୁନିକ ଓଡ଼ିଶା ନିର୍ମାଣର ନିଅଁ ପଡ଼ିଥିଲା ବିଜୁଙ୍କ ହାତରେ। ଓଡ଼ିଶାରେ ମୁଣ୍ଡ ଟେକିଥିଲା ବହୁ ଶିଳ୍ପ, କଳ କାରଖାନା । ଗାଁର ବିକାଶ ସହ ଘରେ ଘରେ ପାନୀୟ ଜଳ, ଶିକ୍ଷା, ସ୍ୱାସ୍ଥ୍ୟ ଓ ମହିଳା ସଶକ୍ତୀକରଣ ପାଇଁ ସ୍ୱପ୍ନ ଦେଖିଥିଲେ ବିଜୁ ପଟ୍ଟନାୟକ। ବିଜୁବାବୁଙ୍କର ସ୍ୱପ୍ନକୁ ପୂରଣ କରିବାକୁ ବିଜୁ ଜନତା ଦଳ ପକ୍ଷରୁ ପ୍ରୟାସ ଜାରି ରହିଛି। ମା’କୁ ସମ୍ମାନ, ଗାଁକୁ କାମ କଥା କହିଥିଲେ ସ୍ୱର୍ଗତ ବିଜୁ ପଟ୍ଟନାୟକ। ଏହି ନୀତି ଆଦର୍ଶକୁ ନେଇ ବିଜୁ ଜନତା ଦଳ ପକ୍ଷରୁ ରାଜ୍ୟର ବିକାଶ ଲାଗି ସର୍ବଦା ପ୍ରୟାସ ଜାରି ରହିଛି।

ଓଡିଆ ସ୍ୱାଭିମାନ ଓ ସଂକଳ୍ପର କିମ୍ବଦନ୍ତୀ ପୁରୁଷ ବିଜୁ ପଟ୍ଟନାୟକ । ସେ ଥିଲେ ଓଡିଆଙ୍କ ଗର୍ବ ଏବଂ ଗୌରବ । ନୂଆ ଓଡ଼ିଶା ଗଠନ କରିବାରେ ତାଙ୍କର ଥିଲା ପ୍ରମୁଖ ଭୂମିକା । ସାହସୀ ଓ ନିର୍ଭିକ ବ୍ୟକ୍ତିତ୍ୱ ଭାବେ ପ୍ରତିଟି ଓଡ଼ିଆଙ୍କ ମନରେ ସେ ରହିଛନ୍ତି । ବିଜୁ ବାବୁ ଥିଲେ ଏକ ଅଦ୍ୱିତୀୟ ବ୍ୟକ୍ତିତ୍ୱ, ଏକ ମହାନ ଜନନାୟକ। ଆଜି ସେହି ମହାନାୟକଙ୍କ ଜୟନ୍ତୀ ଅବସରରେ ରାଜ୍ୟସ୍ତରରୁ ଆରମ୍ଭ କରି, ନିର୍ବାଚନମଣ୍ଡଳୀ, ପୌରାଞ୍ଚଳ ଏବଂ ପଞ୍ଚାୟତ ସ୍ତରରେ ବିଜୁ ଜୟନ୍ତୀ ପାଳନ ଲାଗି ବିଜେଡି ପକ୍ଷରୁ ପ୍ରସ୍ତୁତି କରାଯାଇଛି । ଶଙ୍ଖ ଭବନରେ ମଧ୍ୟ ବିଜୁବାବୁଙ୍କ ଜୟନ୍ତୀ ପାଳନ କରାଯାଇଛି।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *