ୱାଶିଂଟନ: ପୁଣି ବାଜି ମାରିଲେ ଡୋନାଲ୍ଡ ଟ୍ରମ୍ପ । ସେ ପୁଣି ଥରେ ବିଶ୍ୱର ଶକ୍ତିଶାଳୀ ଦେଶର ଶାସନ କ୍ଷମତାକୁ ପୁଣି ଫେରିଛନ୍ତି । ଟ୍ରମ୍ପ ପ୍ରାୟ ୨୭୦ ଇଲେକ୍ଟୋରାଲ୍ କଲେଜ୍ ଭୋଟର ମ୍ୟାଜିକ୍ ନମ୍ବରକୁ ଛୁଇଁଥିବା ଜଣାଯାଇଛି। ଏହି ବିଜୟକୁ ନେଇ ସେ ଦେଶବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ୟୁନାଇଟେଡ୍ ଷ୍ଟେଟ୍ସ ହାଉସ୍ର ସ୍ପିକର ଜନସନ୍ ମଧ୍ୟ ଟ୍ରମ୍ପଙ୍କ ବିଜୟକୁ ନେଇ ଘୋଷଣା କରିଥିଲେ ।
୨୦୨୪ ରାଷ୍ଟ୍ରପତି ନିର୍ବାଚନ ପ୍ରଚାର ସମୟରେ ଟ୍ରମ୍ପ ନିଜ ପରିବାରକୁ ଆଗରେ ରଖିଥିଲେ। ଚଳିତ ବର୍ଷ ଜୁଲାଇରେ ସେ ନାମାଙ୍କନପତ୍ର ଦାଖଲ କରିବାକୁ ଯାଇଥିବା ବେଳେ ତାଙ୍କ ସହ ପିଲା, ବନ୍ଧୁ ଏପରିକି ନାତି-ନାତୁଣୀ ଥିବା ଦେଖିବାକୁ ମିଳିଥିଲା । ଟ୍ରମ୍ପଙ୍କ ଜେଜେଙ୍କ ନାମ ଫେଡରିକ ଟ୍ରମ୍ପ ଏବଂ ଜେଜେମା’ଙ୍କ ନାମ ଏଲିଜାବେଥ କ୍ରାଇଷ୍ଟ ଟ୍ରମ୍ପ ଥିଲା। ଫେଡରିକଙ୍କ ଜନ୍ମ ଜର୍ମାନୀରେ ହୋଇଥିଲା। ସେ ନ୍ୟୁୟର୍କରେ ଟ୍ରମ୍ପ ପରିବାର ପାଇଁ ରିଅଲ୍ ଇଷ୍ଟେଟ୍ ବ୍ୟବସାୟର ମୂଳଦୁଆ ରଖିଥିଲେ। ତାଙ୍କ ମୃତ୍ୟୁ ପରେ ପତ୍ନୀ ଏଲିଜାବେଥ ତାଙ୍କ ବ୍ୟବସାୟକୁ ସମ୍ଭାଳିଥିଲେ। ଟ୍ରମ୍ପଙ୍କ ଅଜା ଏବଂ ଆଇ ସ୍କଟ୍ଲ୍ୟାଣ୍ଡରେ ମାଛଧରାଳୀ ଥିଲେ। ଟ୍ରମ୍ପଙ୍କ ବାପାଙ୍କ ନାମ ଫେଡରିକ ସି ଟ୍ରମ୍ପ। ସେ ନ୍ୟୁୟର୍କର ରିଅଲ ଇଷ୍ଟେଟ୍ ଡେଭଲପର ଏବଂ ବ୍ୟବସାୟୀ ଥିଲେ। ଟ୍ରମ୍ପଙ୍କ ମା’ଙ୍କ ନାମ ମେରି ଏ ମ୍ୟାକ୍ କ୍ଲିୟୋଡ୍।
ଟ୍ରମ୍ପଙ୍କ ମୋଟ ୫ ଭାଇ-ଭଉଣୀ ଅଛନ୍ତି। ୨୦୧୬ ନିର୍ବାଚନରେ ଟ୍ରମ୍ପଙ୍କ ଭାଇ ରବର୍ଟ ଏସ୍ ଟ୍ରମ୍ପ ତାଙ୍କୁ ସମର୍ଥନ କରିଥିଲେ। ହେଲେ ଚଳିତ ବର୍ଷ ତାଙ୍କର ଅନ୍ୟଜଣେ ଭାଇ ଫେଡରିକ ଜୁନିଅରଙ୍କ ପୁଅ ଦାଦାଙ୍କୁ ପରିବାରର ସବୁଠାରୁ ଘୃଣିତ ବ୍ୟକ୍ତି ବୋଲି କହିଥିଲେ। ଟ୍ରମ୍ପଙ୍କ ପ୍ରଥମ ବିବାହ ଇବାନା ଟ୍ରମ୍ପଙ୍କ ସହ ହୋଇଥିଲା। ସେ ଚେକ୍-ଆମେରିକୀୟ ମଡେଲ ଏବଂ ବ୍ୟବସାୟୀ ଥିଲେ। ଡୋନାଲ୍ଡ ଟ୍ରମ୍ପଙ୍କ ଏହି ବିବାହ ୧୯୭୭-୧୯୯୨ ଯାଏ ଚାଲିଥିଲା। ଏଥିରେ ୩ ସନ୍ତାନ ହୋଇଥିଲେ । ଇବାନାଙ୍କ ମୃତ୍ୟୁ ୨୦୨୨ରେ ହୋଇଥିଲା। ସେହିଭଳି ଟ୍ରମ୍ପ ଅଭିନେତ୍ରୀ ତଥା ମଡେଲ ମାର୍ଲା ମେପଲ୍ସଙ୍କୁ ଦ୍ୱିତୀୟ ବିବାହ କରିଥିଲେ। ଏହି ବିବାହରୁ ଟ୍ରମ୍ପଙ୍କ ଜଣେ ଝିଅ ଅଛନ୍ତି। ୧୯୯୩-୧୯୯୯ ଯାଏ ଏହି ବିବାହ ଚାଲିଥିଲା।
ଟ୍ରମ୍ପଙ୍କ ତୃତୀୟ ଏବଂ ଅନ୍ତିମ ବିବାହ ମେଲାନିଆ ଟ୍ରମ୍ପଙ୍କ ସହ ୨୦୦୫ରେ ହୋଇଥିଲା। ମେଲାନିଆ ଜଣେ ଫ୍ୟାଶନ ମଡେଲ। ଏହି ବିବାହ ପରେ ଟ୍ରମ୍ପଙ୍କ ଗୋଟିଏ ପୁଅ ଅଛନ୍ତି, ଯାହାଙ୍କ ନାମ ବୈରନ୍। ଟ୍ରମ୍ପଙ୍କ ୫ ସନ୍ତାନ ମଧ୍ୟରୁ ସବୁଠାରୁ ବଡ଼ ପୁଅ ଡୋନାଲ୍ଡ ଟ୍ରମ୍ପ ଜୁନିଅର ସର୍ବଦା ନିଜ ବାପାଙ୍କ ସହ ନଜର ଆସିଥାନ୍ତି। ସେ ଟ୍ରମ୍ପ ଅର୍ଗାନାଇଜେଶନର ଏଗ୍ଜିକ୍ୟୁଟିଭ୍ ଭାଇସ ପ୍ରେସିଡେଣ୍ଟ। ସେ ନିଜ ବାପାଙ୍କ ରାଜନୈତିକ କାମ ଦେଖିବା ବ୍ୟତିତ ପରିବାରର ବ୍ୟବସାୟ ସମ୍ଭାଳନ୍ତି। ଡୋନାଲ୍ଡଙ୍କ ବଡ଼ ଝିଅ ଇଭାଙ୍କା ମଡେଲ ଥିଲେ। ଟ୍ରମ୍ପ ପ୍ରଥମ ଥର ରାଷ୍ଟ୍ରପତି ହେବା ପରେ ହ୍ୱାଇଟ୍ ହାଉସ୍ରେ ପରାମର୍ଶଦାତା ଭାବେ କାମ କରିଛନ୍ତି। ତାଙ୍କର ୩ ସନ୍ତାନ ଅଛନ୍ତି। ଟ୍ରମ୍ପଙ୍କ ପୁଅ ଏରିକ୍ ବାପାଙ୍କ ବ୍ୟବସାୟ ସମ୍ଭାଳିଥାନ୍ତି। ତାଙ୍କର ୨ ସନ୍ତାନ ଅଛି। ଟିଫନୀ ଟ୍ରମ୍ପ ବିଶ୍ୱବିଦ୍ୟାଳୟରେ ରିସର୍ଚ୍ଚ ଆସିଷ୍ଟାଣ୍ଟ ଅଛନ୍ତି। ଟ୍ରମ୍ପଙ୍କ ସାନ ପୁଅ ବୈରନ ଟ୍ରମ୍ପ ଏବେ ପାଠ ପଢ଼ୁଛନ୍ତି।