ଲଣ୍ଡନ: ବର୍ତ୍ତମାନ ଚନ୍ଦାପଣ ଏକ ବଡ଼ ସମସ୍ୟା ହୋଇ ଉଭା ହୋଇଛି। ଏହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ଯୁବକ, ଯୁବତୀ, ମହିଳା ଏବଂ ପୁରୁଷ। ଅସ୍ୱାସ୍ଥ୍ୟକର ଜୀବନଶୈଳୀ ଏବଂ ମାନସିକ ଚାପ ଯୋଗୁଁ ବର୍ତ୍ତମାନ କମ୍ ବୟସରୁ ଅଧିକାଂଶ ଲୋକଙ୍କଠାରେ ଚନ୍ଦାପଣ ଦେଖିବାକୁ ମିଳୁଛି। ଏହି ଚନ୍ଦାପଣ ସୌନ୍ଦର୍ଯ୍ୟକୁ ବି ପ୍ରଭାବିତ କରିଥାଏ । ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଅନେକ ଘରୋଇ ଉପଚାର କରିବା ସହିତ ବଜାରରେ ମିଳୁଥିବା ବିଭିନ୍ନ ପ୍ରକାର ଉପକରଣ ବ୍ୟବହାର କରୁଛନ୍ତି । ତଥାପି ସମସ୍ତେ ଚନ୍ଦାପଣକୁ ନେଇ ଚିନ୍ତିତ ହୋଇଥାନ୍ତି । ତେବେ ଏହି ଚନ୍ଦାପଣ ନେଇ ଏବେ ବ୍ରିଟିଶ ରାଜକୁମାର ଚର୍ଚ୍ଚାରେ ରହିଛନ୍ତିି । ନିଜ ଚନ୍ଦାପଣ ପାଇଁ ସେ ବିଶ୍ୱରେ ସବୁଠୁ ଆକର୍ଷଣୀୟ ଚନ୍ଦାର ମାନ୍ୟତା ପାଇଛନ୍ତି । ଏମିତି କି ଦୁଇ ଫେମସ ସେଲିବ୍ରିଟିଙ୍କୁ ମଧ୍ୟ ପଛରେ ପକାଇଛନ୍ତି ବ୍ରିଟିଶ୍ ରାଜକୁମାର ।
ବ୍ରିଟେନ୍ ଯୁବରାଜ ୱିଲିୟମଙ୍କୁ ଚଳିତ ବର୍ଷର ସବୁଠୁ ଆକର୍ଷଣୀୟ ଚନ୍ଦା ପୁରୁଷ ଭାବେ ନାମିତ କରାଯାଇଛି । ସର୍ଚ୍ଚ ମାର୍କେଟିଂ ଏଜେନ୍ସି ରିବୁଟ ପକ୍ଷରୁ ବୁଧବାର ଏହି ଘୋଷଣା କରାଯାଇଛି । ଲଗାତର ଦ୍ୱିତୀୟ ଥର ପାଇଁ ୱିଲିୟମ ଏହି ଟାଇଟଲ ବଜାୟ ରଖିଛନ୍ତି । ସେହିପରି କ୍ରମାଗତ ୩ୟ ଥର ପାଇଁ ବୈଜ୍ଞାନିକ ପଦ୍ଧତିରେ ଅଧ୍ୟୟନ କରାଯାଇ ଏହି ଟାଇଟଲର ବିଜେତା ଘୋଷଣା କରାଯାଇଥିବା ନେଇ ରିବୁଟର ୱେବସାଇଟରେ ସୂଚନା ଦିଆଯାଇଛି । ଷ୍ଟଡି ଅନୁଯାୟୀ, ୧୦ରୁ ୯.୮୬ ସ୍କୋର ସହ ପ୍ରିନ୍ସ ୱିଲିୟମ ସବୁଠୁ ଆକର୍ଷଣୀୟ ଚନ୍ଦା ପୁରୁଷମାନଙ୍କ ତାଲିକାର ଶୀର୍ଷରେ ଅଛନ୍ତି । ଆମେରିକୀୟ ଅଭିନେତା ତଥା ପ୍ରଫେସନାଲ ରେସଲର ଡୱେନ ଜନସନ ଓ ଆମେରିକୀୟ ବାସ୍କେଟବଲ ଖେଳାଳି ସକିଲ ଓ’ନିଲ ଯାଥାକ୍ରମେ ୮.୮୮ ଓ ୮.୮୪ ସ୍କୋର ସହ ଉକ୍ତ ତାଲିକାର ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି ।