ମୁମ୍ବାଇ: ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବ୍ୟାଗ ବାରମ୍ବାର ଯାଞ୍ଚ ନେଇ ତେଜିଛି ବିବାଦ । ଦୁଇ ସେନା ହୋଇଛନ୍ତି ମୁହାଁମୁହିଁ । ଆସନ୍ତା ସପ୍ତାହରେ ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଏହା ପୂର୍ବରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଠାକରେଙ୍କ ନିୟମିତ ବ୍ୟାଗ୍ ଯାଞ୍ଚକୁ ନେଇ ତାଙ୍କ ଶିବ ସେନା ଗୋଷ୍ଠୀ ଏବଂ ଏକନାଥ ସିନ୍ଦେଙ୍କ ନେତୃତ୍ୱାଧୀନ ଗୋଷ୍ଠୀ ମଧ୍ୟରେ ବିବାଦ ସୃଷ୍ଟି ହୋଇଛି। ଏନେଇ ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।
ଠାକରେ ଏକ ନିର୍ବାଚନୀ ରାଲିରେ ସମ୍ବୋଧିତ କରିବା ପାଇଁ ପହଞ୍ଚିବାର କିଛି ସମୟ ପରେ ମହାରାଷ୍ଟ୍ରର ୟବତମାଲରେ ତାଙ୍କ ଲଗେଜ୍ ଯାଞ୍ଚ କରାଯାଇଥିଲା। ଅନ୍ୟ ଏକ ଘଟଣାରେ ଲାଟୁରରେ ଉଦ୍ଧବ ଠାକରେଙ୍କ ବ୍ୟାଗ୍ ପୁଣି ଥରେ ଯାଞ୍ଚ କରାଯାଇଥିଲା ବୋଲି ତାଙ୍କ ପୁଅ ଆଦିତ୍ୟ ଠାକରେ ପ୍ରକାଶ କରିଛନ୍ତି । ଏମିତି କି ଯାଞ୍ଚ ସମୟର ଏକ ଭିଡ଼ିଓ ଏକ୍ସରେ ସେୟାର କରିଛନ୍ତି । ଠାକରେ ସେନାର ନେତା ସଞ୍ଜୟ ରାଉତ କହିଛନ୍ତି ଯେ, ଆମର ଲଗେଜ୍, ହେଲିକପ୍ଟର, ଘରୋଇ ଜେଟ୍, କାର୍ ସବୁ କିଛି ଯାଞ୍ଚ କରାଯାଉଛି। ସେମାନେ ଆମ ଘରେ ମଧ୍ୟ ଖୋଜାଖୋଜି କରୁଛନ୍ତି। କିନ୍ତୁ ଯଦି ଏହା ନିରପେକ୍ଷ ଭାବରେ କରାଯାଏ ଆମର କିଛି କହିବାର ନାହିଁ। କିନ୍ତୁ, ଯେଉଁଠି ଏକନାଥ ସିନ୍ଦେ ଏବଂ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ଓ ଦେବେନ୍ଦ୍ର ଫଡନାଭିସ ଲଢୁଛନ୍ତି, ସେଠାରେ ୨୫ କୋଟି ଟଙ୍କା ପହଞ୍ଚି ସାରିଛି। ଭୋଟ ପାଇଁ ନଗଦ ଟଙ୍କା ବଣ୍ଟାଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି। ସେହିପରି ନିର୍ବାଚନ ପ୍ରଚାର ବେଳେ ଶାସକ ଦଳର ପ୍ରମୁଖ ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ ଏବଂ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ବ୍ୟାଗ୍ ଯାଞ୍ଚ କରାଯାଇଛି କି? ଏହାର ଜବାବ ରଖି ସିନ୍ଦେ ସେନା ମୁଖପାତ୍ର କ୍ରିଷ୍ଣା ହେଗଡେ କହିଛନ୍ତି ଯେ ରାଉତଙ୍କର ଅଯଥା ଅଭିଯୋଗ କରିବାର ଅଭ୍ୟାସ ଅଛି। ସିନ୍ଦେଙ୍କ ବ୍ୟାଗ୍କୁ ମଧ୍ୟ ଯାଞ୍ଚ କରାଯାଇଛି। ଏପ୍ରିଲ-ଜୁନ୍ ସାଧାରଣ ନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ ପ୍ରଚାର କରୁଥିବା ବେଳେ ନାସିକରେ ଏହା ହୋଇଥିଲା। କିନ୍ତୁ ଉଦ୍ଧବ ଠାକରେ ଶିବିର ଭଳି ସିନ୍ଦେଜୀ ହଟ୍ଟଗୋଳ କରି ନ ଥିଲେ। ଯଦି ଆପଣଙ୍କ ପାଖରେ ଲୁଚାଇବାକୁ କିଛି ନାହିଁ, ପ୍ରତିବାଦ କାହିଁକି ?
ଅନ୍ୟପକ୍ଷରେ ଠାକରେଙ୍କ ବ୍ୟାଗ୍ ଯାଞ୍ଚକୁ ନେଇ ବିବାଦ ସୃଷ୍ଟି ହେବା ପରେ ନିର୍ବାଚନ ଆୟୋଗ ପକ୍ଷରୁ କୁହାଯାଇଛି ଯେ, ପ୍ରଚାର ସମୟରେ ରାଜନୈତିକ ନେତାଙ୍କ ହେଲିକପ୍ଟର ଯାଞ୍ଚ କରିବା ପାଇଁ କଡ଼ା ପ୍ରୋଟୋକଲ୍ ପାଳନ କରାଯାଉଛି। ଏପ୍ରିଲ-ଜୁନ୍ ସାଧାରଣ ନିର୍ବାଚନ ସମୟରେ ଅମିତ ଶାହଙ୍କ ଦ୍ୱାରା ବ୍ୟବହୃତ ହେଲିକପ୍ଟର ମଧ୍ୟ ଯାଞ୍ଚ କରାଯାଇଥିଲା। ଅଧିକାରୀମାନଙ୍କୁ ସମସ୍ତ ହେଲିକପ୍ଟର ଯାଞ୍ଚ କରିବାକୁ କୁହାଯାଇଛି। ମହାରାଷ୍ଟ୍ରର ୨୮୮ଟି ବିଧାନସଭା ଆସନ ପାଇଁ ନଭେମ୍ବର ୨୦ରେ ମତଦାନ ହେବ ଏବଂ ଏହାର ତିନି ଦିନ ପରେ ଫଳାଫଳ ଆସିବ।