ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶ ବିଧାନସଭାର ବଜେଟ ଅଧିବେଶନ ଜାରି ରହିଛି। ଅଧିବେଶନର ନବମ ଦିନ ଜଣେ ବିଧାୟକ ବିଧାନସଭା ହଲ୍ରେ ପାନ ମସାଲା ଖାଇ ଛେପ ପକାଇଥିବାର ଘଟଣା ସାମନାକୁ ଆସିଛି, ଯାହା ପୂରା ରାଜ୍ୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ବିଧାନସଭା ଗୃହର ଗରିମା ଏବଂ ପରିଷ୍କାର ପରିଚ୍ଛନତା ଉପରେ ଏହି ଘଟଣା ପ୍ରଶ୍ନବାଚୀ ସୃଷ୍ଟି କରୁଛି ବୋଲି ଉତ୍ତରପ୍ରଦେଶ ବିଧାନସଭାର ବାଚସ୍ପତି ସତୀଶ ମହାନା କହିଛନ୍ତି। ଘଟଣାକୁ ନେଇ ବାଚସ୍ପତି ମହାନା ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହ ଏହାକୁ ଅନୁଶାସନ ବିରୋଧୀ କାର୍ଯ୍ୟ ବୋଲି କହିଥିଲେ।
ମଙ୍ଗଳବାର ଉତ୍ତରପ୍ରଦେଶ ବିଧାନସଭାର ଗୃହକାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ବାଚସ୍ପତି ସତୀଶ ମହାନା ସମସ୍ତ ବିଧାୟକଙ୍କୁ ସମ୍ବୋଧନ କରି ଘଟଣା ସମ୍ପର୍କରେ ଅବଗତ କରାଇଥିଲେ। ସେ କହିଛନ୍ତି, ଉତ୍ତରପ୍ରଦେଶ ବିଧାନସଭା ହଲ୍ ମଧ୍ୟରେ ଜଣେ ମାନନୀୟ ବିଧାୟକ ପାନ ମସଲା ଖାଇ ଛେପ ପକାଇଥିବା ନେଇ ତାଙ୍କୁ ମଙ୍ଗଳବାର ସକାଳେ ସୂଚନା ମିଳିଥିଲା। ଏହି ଖବର ପାଇ ସେ ସମୟ ପୂର୍ବରୁ ବିଧାନସଭାରେ ପହଞ୍ଚିଥିଲେ ଓ ବିଧାନସଭା କର୍ମଚାରୀଙ୍କ ସହ ମିଶି ହଲ୍ ମଧ୍ୟରୁ ଉକ୍ତ ପାନ ମସଲା ଛେପକୁ ସଫା କରାଇଥିଲେ ବୋଲି ବାଚସ୍ପତି ମହାନା କହିଛନ୍ତି।
ବିଧାନସଭାର ଜଣେ ସଦସ୍ୟଙ୍କର ଏପରି ଆଚରଣ ଆଦୌ ଗ୍ରହଣୀୟ ନୁହେଁ ବୋଲି ସେ ଅତ୍ୟନ୍ତ ଗମ୍ଭୀର ସ୍ୱରରେ କହିଥିଲେ। ଗୃହରେ ଲାଗିଥିବା ସିସିଟିଭି ଫୁଟେ୍ଜରୁ ଛେପ ପକାଇଥିବା ବିଧାୟକଙ୍କର ପରିଚୟ ସ୍ପଷ୍ଟ ଭାବେ ମିଳିଛି। ତେବେ ସେ ପାନ ଛେପ ପକାଇଥିବା ବିଧାୟକଙ୍କୁ ସର୍ବ ସମ୍ମୁଖରେ ଅପମାନିତ କରିବାକୁ ଚାହୁଁନାହାନ୍ତି ବୋଲି ମହାନା କହିଛନ୍ତି। ଛେପ ପକାଇଥିବା ବିଧାୟକଙ୍କୁ ଚେତାବନୀ ଦେଇ ସେ କହିଛନ୍ତି, ଯେଉଁ ବିଧାୟକ ଏହି କାର୍ଯ୍ୟ କରିଛନ୍ତି ତାଙ୍କର ପରିଚୟ ମିଳିସାରିଛି। ସେ ସ୍ୱୟଂ ନିଜଆଡ଼ୁ ଆସି ତାଙ୍କ ନିକଟରେ ଭୁଲ୍ ସ୍ୱୀକାର କରନ୍ତୁ।
ଅନ୍ୟଥା ଏହି ନିନ୍ଦନୀୟ କାର୍ଯ୍ୟ ପାଇଁ ତାଙ୍କୁ ସମନ କରାଯିବ। ଏହି ଅବସରରେ ବିଧାନସଭାର ଅନ୍ୟ ସଦସ୍ୟଙ୍କୁ ଅପିଲ କରି ମହାନା କହିଛନ୍ତି, ଉତ୍ତରପ୍ରଦେଶ ବିଧାନସଭା କୌଣସି ନିର୍ଦ୍ଦିଷ୍ଟ ବ୍ୟକ୍ତି ବିଶେଷଙ୍କର ନୁହେଁ। ଏହା ୪୦୩ ବିଧାୟକ ଓ ଉତ୍ତରପ୍ରଦେଶର ୨୫ କୋଟି ଜନସାଧାରଣଙ୍କର ବିଧାନସଭା। ତେଣୁ ଗୃହର ଗରିମାକୁ ବଜାୟ ରଖିବା ସହ ଏହାକୁ ପରିଷ୍କାର ପରିଚ୍ଛନ୍ନ ରଖିବା ହେଉଛି ସମସ୍ତ ବିଧାୟକଙ୍କର ଦାୟିତ୍ୱ। ଯଦି ବିଧାନସଭା ପରିସର ମଧ୍ୟରେ କୌଣସି ବିଧାୟକ ସେମାନଙ୍କ ସାଥୀ ବିଧାୟକଙ୍କୁ ପାନ ମସାଲା ଖାଇ ଛେପ ପକାଉଥିବାର ଦେଖୁଛନ୍ତି, ତେବେ ସେମାନେ ତୁରନ୍ତ ନିଜ ସାଥୀ ବିଧାୟକଙ୍କୁ ଏପରି ନିନ୍ଦନୀୟ କାର୍ଯ୍ୟରୁ ନିବୃତ୍ତ ରହିବାକୁ ତାଗିଦ କରନ୍ତୁ।