ପ୍ରୟାଗରାଜ: ପ୍ରୟାଗରାଜର ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇଲେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ । ସେ ତାଙ୍କ ପୁରା ପରିବାର ସହ ମହାକୁମ୍ଭରେ ବୁଡ଼ ପକାଇଛନ୍ତି । ଏଥିସହ ସେ ମହାକୁମ୍ଭରେ ନିଜ ମାଆଙ୍କୁ ଗାଧୋଇ ଦେଇଥିଲେ । ଏହାର ଫଟୋ ଓ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡ଼ିଓକୁ ଦେଖିବା ପରେ ପୁଅ ହେବ ତ ଏମିତି ବୋଲି ଅନେକ ମତ ରଖିଛନ୍ତି ।
ପ୍ରତ୍ୟେକ ଦିନ ମହାକୁମ୍ଭରେ ବୁଡ ପକାଇବାକୁ ପ୍ରୟାଗରାଜରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହେଉଛି । ବିଭିନ୍ନ ନେତା, ଅଭିନେତା, କ୍ରିକେଟର, କଣ୍ଠଶଳ୍ପୀଙ୍କ ସମେତ ଅନେକ ବଡ ବଡ ବ୍ୟକ୍ତିତ୍ୱ ପବିତ୍ର ବୁଡ ପକାଇବାକୁ ମହାକୁମ୍ଭରେ ସାମିଲ ହେଉଛନ୍ତି । ଆଉ ଏଥିରେ ସାମିଲ ହୋଇଛନ୍ତି ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ । ନିଜ ପରିବାର ସହ ଯାଇ ତ୍ରିବେଣୀ ସଂଗମରେ ପବିତ୍ର ବୁଡ ପକାଇଛନ୍ତି । ତେବେ ଏହି ବୁଡ ପକାଇବା ଭିତରେ ସବୁଠୁ ସୁନ୍ଦର ଚିତ୍ର ସାମ୍ନାକୁ ଆସିଛି । ଯେତେବେଳେ ତ୍ରିବେଣୀରେ ମୁଖ୍ୟମନ୍ତ୍ରୀ ଧାମୀ ବୁଡ ପକାଉଥିଲେ ସେଠି ତାଙ୍କ ମାଆ ବି ବୁଡ ପକାଉଥିଲେ । ଆଉ ସେତିକିବେଳେ ଧାମୀ ପବିତ୍ର ତ୍ରିବେଣୀରୁ ପାଣି ନେଇ ନିଜ ମାଆଙ୍କୁ ଗାଧୋଇ ଦେଉଥିଲେ । ଆଞ୍ଜୁଳାରେ ପାଣି ନେଇ ତାଙ୍କ ମୁଣ୍ଡରେ ଢାଳୁଥିଲେ । ଯାହା ତାଙ୍କ ମାଆଙ୍କ ପ୍ରତି ଥିବା ତାଙ୍କ ସ୍ନେହ, ପ୍ରେମ ଓ ଭଲପାଇବାର ଚିତ୍ର ଦର୍ଶାଉଥିଲା ।
ମହାକୁମ୍ଭରେ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଚିତ୍ର ଆମେ ଦେଖିଛେ । କେତେବେଳେ ପୁଅଟେ ଶ୍ରବଣ କୁମାର ହୋଇ ନିଜ ମାଆକୁ ବଦଳ ଗାଡିରେ ଟାଣିଟାଣି ମହାକୁମ୍ଭ ନେଇଛି ତ କିଏ ତା ବାପାକୁ କାନ୍ଧରେ ବୁଲାଇ ମହାକୁମ୍ଭ ମେଳା ଦେଖାଉଛି ଆଉ ଏବେ ଜଣେ ଖୋଦ୍ ମୁଖ୍ୟମନ୍ତ୍ରୀ ନିଜ ମାଆଙ୍କୁ ଗାଧୋଇ ଦେବାର ଚିତ୍ର ସାମ୍ନାକୁ ଆସିଛି । ଯାହା ପ୍ରତ୍ୟେକ ଲୋକଙ୍କ ହୃଦୟକୁ ଛୁଇଁଛି ।