ନୂଆଦିଲ୍ଲୀ: ଚାମ୍ପିୟନ୍ସ ଟ୍ରଫିରେ ପାକିସ୍ତାନ ବିପକ୍ଷରେ ଖେଳି ଟିମ ଇଣ୍ଡିଆ ବିଜୟର ମୁକୁଟ ପିନ୍ଧିଛି । ଟିମର ପ୍ରତିଟି ଖେଳାଳିଙ୍କ ପ୍ରୟାସରେ ବିଜୟର ସ୍ୱାଦ ଚାଖିଥିଲା ଭାରତ ଆଉ ମାତ ଖାଇଛି ପାକିସ୍ତାନ । ଦୁବାଇ ମୈଦାନରେ ଇଣ୍ଡିଆ ଟିମ୍ର ଷ୍ଟାର ଖେଳାଳି ବିରାଟ କୋହଲିଙ୍କ ଚଉକାମାଡ ଏବଂ ଶତକକୁ କ୍ରିକେଟପ୍ରେମୀ ଭୁରି ଭୁରି ପ୍ରଶଂସା କରୁଛନ୍ତି । ବିରାଟ ଯେତେବେଳେ ବ୍ୟାଟ ବୁଲାଇ ରନର ବର୍ଷା କରୁଥିଲେ ପୁରା ଷ୍ଟାଡିୟମ ଇଣ୍ଡିଆ-ଇଣ୍ଡିଆ , କୋହଲି-କୋହଲି ନାରାରେ କମ୍ପି ଉଠିଥିଲା। ବିରାଟ ମଧ୍ୟ ବିନମ୍ରତା ସ୍ୱରୂପ ବ୍ୟାଟକୁ ଉପରକୁ ଉଠାଇ ନିଜ ଫ୍ୟାନ୍ସଙ୍କୁ ଧନ୍ୟବାଦ ଜଣାଇଲେ । ଏଥିସହ ବେକରେ ପିନ୍ଧିଥିବା ମୁଦିକୁ ସେ ଚୁମ୍ବନ ଦେଇଥିଲେ । ଯାହାକୁ ସେ ସବୁବେଳେ ଚେନ ସହିତ ଲକେଟ ଭଳି ପିନ୍ଧିଥାନ୍ତି । ବିରାଟ ପ୍ରତି ମ୍ୟାଚରେ ଯେତେବେଳେ ବି ଶତକ ମାରନ୍ତି ସେତେବେଳେ ବେକରେ ପିନ୍ଧିଥିବା ଲକେଟକୁ କିସ୍ କରନ୍ତି ।
ତେବେ ସେ ଏମିତି କାହିଁକି କରନ୍ତି ? ବିରାଟଙ୍କ ବେକରେ ଥିବା ଲକେଟ୍ର ରହସ୍ୟ କ’ଣ? ଯଦି ଆପଣ ମଧ୍ୟ ମ୍ୟାଚ ଦେଖିଥିବେ ତାହେଲେ ଏ ପ୍ରଶ୍ନ ଆପଣଙ୍କ ମନକୁ ନିଶ୍ଚିତ ଆସିଥିବ । ଆସନ୍ତୁ ଜାଣିବା ବିରାଟଙ୍କ ଏଭଳି କରିବା ପଛର କାରଣ । ଶତକ ସମ୍ପୂର୍ଣ୍ଣ କଲା ପରେ ବିରାଟ କୋହଲି ଯେଉଁ ଲକେଟକୁ କିସ୍ କରନ୍ତିି ସେ ହେଉଛି ତାଙ୍କ ର୍ନିବନ୍ଧର ମୁଦି । ଯାହାକୁ ସେ ତାଙ୍କ ବେକରେ ଲକେଟ କରି ପକାଇଛନ୍ତି । ତାଙ୍କ ପ୍ରେମର ପ୍ରତୀକ ହେଉଛି ତାଙ୍କ ବେକରେ ଝୁଲୁଥିବା ମୁଦି । ପ୍ରତି ଶତକରେ ପତ୍ନୀ ଅନୁଷ୍କା ଶର୍ମାଙ୍କୁ ଧନ୍ୟବାଦ ଜଣାଇ ମୁଦିକୁ ଚୁମ୍ବନ ଦେଇ ଏମିତି ହିଁ ନିଜ ପ୍ରେମ ଜାହିର କରନ୍ତି । ଅନେକ ସମୟରେ ପତ୍ନୀ ଅନୁଷ୍କାଙ୍କ ପ୍ରତି ବିରାଟଙ୍କ ପ୍ରେମ ଦେଖିବାକୁ ମିଳେ ।
ଅନୁଷ୍କା ବିରାଟଙ୍କ ସହ ଛାଇ ଭଳି ଛିଡା ହୋଇଥାନ୍ତି । ମ୍ୟାଚରେ ପରାଜିତ ହେଲେ ସାହସର ସହ ସେ ସମୟର ଦୁର୍ବଳ ମୁହୂର୍ତ୍ତକୁ ମୁକାବିଲା କରିବା ପାଇଁ ଦମ୍ଭ ଦିଅନ୍ତି ।ଯେତେବେଳେ ବିରାଟ ଅନୁଷ୍କାଙ୍କୁ ଡେଟ କରୁଥିଲେ ସେ ସପୋର୍ଟ କରିବା ପାଇଁ ଷ୍ଟାଡିୟମକୁ ଆସୁଥିଲେ । ଅନେକ ସମୟରେ ଫ୍ୟାନ୍ସ ବିରାଟଙ୍କ ଖରାପ ପ୍ରଦର୍ଶନ ପାଇଁ ଅନୁଷ୍କାଙ୍କୁ ଟ୍ରୋଲ କରିବାକୁ ମଧ୍ୟ ପଛାଉ ନ ଥିଲେ ।
୨୦୧୫ ବିଶ୍ୱକପ ସମୟରେ ଭାରତର ପରାଜୟ ପରେ କୋହଲିଙ୍କୁ ଫ୍ୟାନ୍ସଙ୍କ କ୍ରୋଧର ସାମ୍ନା କରିବାକୁ ପଡିଥିଲା । କିନ୍ତୁ ବର୍ତ୍ତମାନ ଚ୍ୟାମ୍ପିୟନ୍ସ ଟ୍ରଫିରେ ଶତକ ପିଟି ଭାରତକୁ ବିଜୟର ସ୍ୱାଦ ଚଖାଇ ବିରାଟ ସଫଳତାର ଶ୍ରେୟ ନିଜ କ୍ୱିନଙ୍କୁ ରିଙ୍ଗ କିସ ମାଧ୍ୟମରେ ଦେଇଛନ୍ତି । ବିରାଟ ପ୍ରଥମେ ୨୦୧୮ ଜାନୁଆରୀରେ ନିଜ ବେକରେ ପିନ୍ଧିଥିବା ମୁଦିକୁ କିସ କରିଥିଲେ । ସେତେବେଳେ ସେ ସାଉଥ ଆଫ୍ରିକା ବିପକ୍ଷରେ ସେଞ୍ଚୁରିୟନରେ ୧୫୩ ରନ କରି ନିଜ ଲଭ୍ଙ୍କୁ ନିଆରା ଅନ୍ଦାଜରେ ପ୍ରେମ ଜାହିର କରିଥିଲେ । ଏହାର ଠିକ ପୂର୍ବରୁ ସେ ୨୦୧୭ ଡିସେମ୍ବର ୧୧ ତାରିଖରେ ଇଟାଲୀରେ ଅନୁଷ୍କାଙ୍କ ସହ ହିନ୍ଦୁ ରୀତିନୀତିରେ ବିବାହ କରିଥିଲେ ।