ମହାକୁମ୍ଭ ଦଳାଚକଟା ମାମଲା: ରଦ୍ଦ ହେଲା ଭିଭିଆଇପି ପାସ୍‌

ପ୍ରୟାଗରାଜ: ମହାକୁମ୍ଭକୁ ଆଉ ଯିବେନି ଭିଆଇପି । ମହାକୁମ୍ଭରେ ଭିଭିଆଇପି ପାସ୍ ଓ ଗାଡ଼ି ଉପରେ ସମ୍ପୂର୍ଣ୍ଣ ବାରଣ କରାଯିବା ସହ ସମସ୍ତ ପାସକୁ ରଦ୍ଦ କରି ଦିଆଯାଇଛି । ମୌନୀ ଅମାବାସ୍ୟା ଦିନ ହୋଇଥିବା ଦଳାଚକଟା ଘଟଣା ପରେ ବଡ଼ ନିଷ୍ପତ୍ତି ନେଇଛନ୍ତି ଯୋଗୀ ସରକାର ।
ପ୍ରୟାଗରାଜକୁ ସଂଯୋଗ କରୁଥିବା ଜିଲ୍ଳା ସୀମାରୁ ଗାଡ଼ି ଚଳାଚଳ ବନ୍ଦ କରାଯାଇଛି । ଶ୍ରଦ୍ଧାଳୁଙ୍କ ସୁଗମ ଯାତ୍ରା ପାଇଁ ଗୋଟିଏ ରୁଟରେ ଟ୍ରାଫିକ ବ୍ୟବସ୍ଥା କରାଯାଇଛି । ଆସନ୍ତା ୪ ତାରିଖ ଯାଏଁ ଚାରି ଚକିଆ ଗାଡ଼ି ପ୍ରବେଶ ଉପରେ କଟକଣା ରହିବ । ଗତ ବୁଧବାର ମହାକୁମ୍ଭରେ ଦଳାଚକଟା ମାମଲାରେ ପ୍ରାୟ ୩୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦୦ରୁ ଆଧିକ ଆହତ ହୋଇଛନ୍ତି । ଏନେଇ ଭିଡିଓ କନଫରେନ୍ସିଂ ମାଧ୍ୟମରେ ମହାକୁମ୍ଭରେ ଯାନବାହନ ଚଳାଚଳ ନିମନ୍ତେ ନୂଆ ମାର୍ଗଦର୍ଶିକା ଜାରି କରାଯାଇଛି । ଏହି ଭିଡିଓ କନଫରେନ୍ସରେ ବରିଷ୍ଠ ପୋଲିସ ଅଧିକାରୀଙ୍କ ସମେତ ବିଭିନ୍ନ ରାଜ୍ୟର ଅଧିକାରୀ ସାମିଲ ହୋଇଥିଲେ । ଏହି ରାଜ୍ୟଗୁଡ଼ିକ ହେଲା ପ୍ରୟାଗରାଜ, କୌଶମ୍ବି, ବାରାଣସୀ, ଅଯୋଧ୍ୟା, ମିର୍ଜାପୁର, ବସ୍ତି, ଜାଉନପୁର, ଚିତ୍ରକୂଟ, ବାନ୍ଦା, ଆମ୍ବେଦକର ନଗର, ପ୍ରତାପଗଡ଼, ସନ୍ତ କବୀର ନଗର, ଭଦୋହୀ, ରାଏବରେଲୀ ଏବଂ ଗୋରଖପୁର ।

ଭିଡ଼ ନିୟନ୍ତ୍ରଣ ତଥା ଶ୍ରଦ୍ଧାଳୁଙ୍କ ସୁରକ୍ଷା ପାଇଁ ମହାକୁମ୍ଭ ଅଞ୍ଚଳରେ ସମସ୍ତ ପ୍ରକାର ଗାଡ଼ି ଚଳାଚଳ ଉପରେ କଟକଣା ଜାରି କରାଯାଇଛି । ଖାସ୍‌କରି ଭିଭିଆଇପି ପାସ୍ ମାଧ୍ୟମରେ ଯାନବାହନ ପ୍ରବେଶ ଉପରେ କଟକଣା ରହିଛି । ଏହା ବାଦ୍ କୌଣସି ପ୍ରକାର ବିଶେଷ ପାସରେ ମଧ୍ୟ ପ୍ରବେଶ ଅନୁମତି ମିଳିବ ନାହିଁ । ଶ୍ରଦ୍ଧାଳୁଙ୍କ ଗମନାଗମନକୁ ସୁଗମ କରିବା ପାଇଁ ଗୋଟିଏ ରୁଟରେ ଗାଡ଼ି ଚଳାଚଳ ଉପରେ ଗୁରୁତ୍ୱାରୋପ କରାଯାଇଛି । ଫଳରେ ଜାମ୍ ସମସ୍ୟା କମ୍ ହେବା ସହ ଭିଡ଼ ମଧ୍ୟ ନିୟନ୍ତ୍ରିତ ରହିବ । ରାସ୍ତା କଡ଼ରେ ବ୍ୟବସାୟ କରୁଥିବା ଉଠା ଦୋକାନୀଙ୍କୁ ଖାଲି ସ୍ଥାନକୁ ସ୍ଥାନାନ୍ତର କରାଯିବ । ଫଳରେ ଟ୍ରାଫିକ୍ ସମସ୍ୟା଼ ହ୍ରାସ ହେବାରେ ସହାୟକ ହେବ । ମହାକୁମ୍ଭ ଅଞ୍ଚଳରେ ପୋଲିସ ପାଟ୍ରୋଲିଂ କଡ଼ାକଡ଼ି କରାଯାଇଛି । ଅଯୋଧ୍ୟା- ପ୍ରୟାଗରାଜ, କାନପୁର- ପ୍ରୟାଗରାଜ, ଫତେହପୁର- ପ୍ରୟାଗରାଜ, ଲକ୍ଷ୍ନୌ- ପ୍ରତାପଗଡ଼-ପ୍ରୟାଗରାଜ ଏବଂ ବାରାଣସୀ- ପ୍ରୟାଗରାଜ ଭଳି ମାର୍ଗରେ ପୋଲିସ ଅଧିକାରୀ ଟ୍ରାଫିକ୍ ବ୍ୟବସ୍ଥା ତଦାରଖ କରିବେ । ଏଥିପାଇଁ ବାରିକେଡ୍ ବ୍ୟବସ୍ଥା ମଧ୍ୟ ରହିବ । ମହାକୁମ୍ଭ ଅଞ୍ଚଳର କିଛି ପ୍ରମୁଖ ସ୍ଥାନରେ ରହଣି ବ୍ୟବସ୍ଥା ସହ ଖାଦ୍ୟ ଓ ପାନୀୟ ଜଳର ଉପଯୁକ୍ତ ବ୍ୟବସ୍ଥା ମଧ୍ୟ କରାଯିବ ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *