ନୂଆଦିଲ୍ଲୀ- ମରୁଭୂମିରେ ବାହାରିଲା ପାଣି । ଏହା ଶୁଣିବା ପରେ ଯେ କେହି ଅବିଶ୍ୱାସ କରିବା ସ୍ୱାଭାବିକ । କାରଣ ମରୁଭୂମିରେ ଖାଲି ମିଳେ ମରିଚିକା, ସୂର୍ଯ୍ୟାଲୋକରେ ପାଣିର ଭ୍ରମ ସୃଷ୍ଟି କରିଥାଏ। କିନ୍ତୁ ରାଜସ୍ତାନର ଜୈସଲମେରର ମୋହନଗଡ ଅଞ୍ଚଳରେ ଆପଣା ଛାଏଁ ମାଟି ଫଟେଇ ପାଣି ବାହାରିଥିଲା, ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଆଉ ଏହାକୁ ଦେଖିବାକୁ ଧୀରେ ଧୀରେ ଲୋକଙ୍କ ଭିଡ଼ ଜମିଥିଲା । ଏହାର ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।
ନିକଟରେ ମୋହନଗଡରେ ହଠାତ୍ ମାଟି ଫାଟି ଜଳ ଗବଗବ ହୋଇ ବାହାରିଥିଲା । ଏମିତି କି ସ୍ଥାନୀୟ ଅଞ୍ଚଳରେ ଏକ ବଡ ଅଂଶକୁ ପାଣିରେ ବୁଡାଇଦେଲା । ଏପରି ଆପଣା ଛାଏଁ ଜଳ ଉତ୍ସ ଦେଖିବାକୁ ଲୋକଙ୍କ ଭିଡ ମଧ୍ୟ ବଢିଥିଲା । ଏବେ ଏହି ଘଟଣାକୁ ନେଇ ତହସିଲଦାର ଓ ଜିଲ୍ଲା ପ୍ରଶାସନ କହିଛି, ଏବେ ପାଣି ବନ୍ଦ ହୋଇଯାଇଛି । ସେହି ସ୍ଥାନରେ କର୍ଫ୍ୟୁ ଜାରି କରାଯାଇଛି । ଘଟଣାର ଯାଞ୍ଚ ଚାଲିଛି । ଓଏନଜିସି, ଇଣ୍ଡିଆନ ଅଏଲ ଓ କେନ ଏନର୍ଜିର ବୈଜ୍ଞାନିକ ଏହାର ତଦନ୍ତ କରୁଛନ୍ତି । ସେଠାର ପାଣି ନମୁନା ସଂଗ୍ରହ କରି ଯାଞ୍ଚ ଚାଲିଛି । ଭୁଜଳ ବୈଜ୍ଞାନିକ ଘଟଣାସ୍ଥଳରେ ଉପସ୍ଥିତ ରହି ଯାଞ୍ଚକରୁଛନ୍ତି । ତେବେ ପ୍ରଶାସନର କହିବା କଥା, ସେହି ସ୍ଥାନରେ ପାଣି ସହ ମାଟି ତଳୁ ଗ୍ୟାସ ନିର୍ଗତ ହେବା ସହ ବିସ୍ଫୋରଣର ସମ୍ଭାବନା ରହିଛି । ତେଣୁ ସେଠାକୁ ଲୋକଙ୍କ ଯାତାୟତକୁ ବନ୍ଦ କରି ଦିଆଯାଇଛି । ପରୀକ୍ଷା ପରେ ଏହାର ପ୍ରକୃତ କାରଣ ଜଣା ପଡିବ ବୋଲି କହିଛନ୍ତି ଅଧିକାରୀ ।
ଅନ୍ୟପକ୍ଷରେଏହାକୁ ଲୋକେ ଧର୍ମ ଶାସ୍ତ୍ର ସହ ଯୋଡିବା ଆରମ୍ଭ କରି ଦେଇଛନ୍ତି । ଏହାକୁ ସ୍ଥାନୀୟ ଲୋକେ ଲୁପ୍ତ ସରସ୍ୱତୀଙ୍କ ଆବିର୍ଭାବ ବୋଲି କହୁଛନ୍ତି । ସେପଟେ ଲୋକେ ଏହାକୁ ଅନ୍ଧ ବିଶ୍ୱାସ ସହ ଯୋଡୁଛନ୍ତି । ଏହା କୌଣସି ପ୍ରାକୃତିକ ବିପର୍ଯ୍ୟୟର ପୂର୍ବାନୁମାନ ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା । ଏହି ଚର୍ଚ୍ଚା ଭିତରେ ବୈଜ୍ଞାନିକଙ୍କ କହିବା କଥା, ଏହା ପୂର୍ବରୁ ନାଚନାର ଜାଲୁବାଲା କ୍ଷେତ୍ରରେ ଏପରି ପାଣି ବାହାରିଥିଲା । କିନ୍ତୁ ସେଠାରେ ପାଣିର ପ୍ରେସର କମ ଥିଲା । କିନ୍ତୁ ଏବେ ହୋଇଥିବା ଜଳ ପ୍ରବାହକ୍ଷିପ୍ର ରହିଥିଲା, ଯାହା ସ୍ଥାନୀୟ ଅଞ୍ଚଳର ତିନି ମାସର ଜଳକଷ୍ଟ ଦୂର କରିପାରିବ ।