ନୂଆଦିଲ୍ଲୀ: ସେନାରେ ସାହସିକତା ସାଙ୍ଗକୁ ଯାହା ସବୁଠାରୁ ଆବଶ୍ୟକ ତାହା ହେଉଛି ଶୃଙ୍ଖଳା। ସେନାର ଯେକୌଣସି ଅପରେସନକୁ ସଫଳ କରିବା ପାଇଁ ଶୃଙ୍ଖଳା ଅନୁସରଣ କରିବା ଅତ୍ୟନ୍ତ ଜରୁରୀ । ସେନାର ଜଣେ ସୈନିକ କିମ୍ବା ଅଧିକାରୀ ନିୟମ ଉଲ୍ଲଂଘନ କଲେ ତାଙ୍କୁ ନିଜ ଅପରାଧ ଅନୁଯାୟୀ ଦଣ୍ଡ ମିଳିଥାଏ। ଭାରତୀୟ ସେନାରେ ଗୋଟିଏ ଛୋଟ ଭୁଲ ପାଇଁ ମଧ୍ୟ କଠୋର ଦଣ୍ଡ ଦିଆଯାଏ । ଏହା ଏପରି ଏକ ସଂଗଠନ ଯେଉଁଥିପାଇଁ ଶୃଙ୍ଖଳା ହିଁ ସବୁକିଛି କାରଣ ସୈନିକଙ୍କ ଏକ ଛୋଟ ଭୁଲ ଦେଶର ସୁରକ୍ଷା ପାଇଁ ବଡ଼ ବିପଦ ହୋଇପାରେ ।
ଭାରତୀୟ ସେନାର ତିନୋଟି ମୁଖ୍ୟ ଅଙ୍ଗ ରହିଛି। ସେନା, ନୌସେନା ଓ ବାୟୁସେନା । ଏହି ତିନି ସେନାର ନିଜସ୍ୱ ନିୟମ ରହିଛି ।
ବିଗତ କିଛି ବର୍ଷ ହେବ ଏମିତି କିଛି ଘଟଣା ସାମ୍ନାକୁ ଆସୁଛି ଯେଉଁଥିରେ ସେନା ବା ଯବାନମାନେ ଦେଶ ସହ ବିଶ୍ୱାସଘାତକତା କରୁଥିବାର ଧରାପଡିଛନ୍ତି । ଆଉ ପରିଣାମ ସ୍ୱରୂପ ଭାରତୀୟ ସେନା ଏହି ଯବାନମାନଙ୍କୁ କଠୋର ଦଣ୍ଡରେ ଦଣ୍ଡିତ କରିଛି। ସେ ବିଶ୍ୱାସଘାତକତା ହେଉ ଅବା ଗୁଇନ୍ଦାଗିରି ଭଳି ମାମଲାରେ ସେନା କିପରି ନିଜ ଯବାନମାନଙ୍କୁ ଦଣ୍ଡ ଦେଇଥାଏ ଏବଂ ଏଥିପାଇଁ କ’ଣ ରହିଛି ନିୟମ ନଜର ପକାନ୍ତୁ…
ସେନାରେ କୌଣସି ଯବାନ କିମ୍ବା ଅଧିକାରୀଙ୍କ ବିରୋଧରେ କୌଣସି ପ୍ରକାର ଅଭିଯୋଗ ଆସିଲେ ଏହାର ତଦନ୍ତ ପାଇଁ କୋର୍ଟ ଅଫ୍ ଇନକ୍ୱାଏରି (ସିଓଆଇ) ଗଠନ କରାଯାଏ। ଯେମିତି ପୁଲିସରେ ଏତଲା ଦାଏର କରିବା ଭଳି। କୋର୍ଟ ଅଫ୍ ଇନକ୍ୱାଏରି ଗଠନ ହେବା ପରେ ମାମଲାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଇ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଏ। ଏହାପରେ ରିପୋର୍ଟ ଉପସ୍ଥାପିତ ହୁଏ। ଏହି ସମୟରେ କିନ୍ତୁ ଦଣ୍ଡ ଘୋଷଣା କରାଯାଏ ନାହିଁ ।
କୋର୍ଟ ମାର୍ଶଲ କ’ଣ
ଆର୍ମି ଆକ୍ଟ ୧୯୫୦ ଅନୁଯାୟୀ ସେନାରେ କୋର୍ଟ ମାର୍ଶାଲ କରାଯାଇଥାଏ । ଦୁଷ୍କର୍ମ, ହତ୍ୟା ଏବଂ ଅସଦାଚରଣ ମାମଲାରେ କୋର୍ଟ ମାର୍ଶାଲ ନାହିଁ କାରଣ ଏଭଳି ମାମଲା ପୋଲିସକୁ ହସ୍ତାନ୍ତର କରାଯାଏ। ଯଦିଓ ସେନା ମଧ୍ୟ ନିଜ ସ୍ତରରେ ତଦନ୍ତ କରିଥାଏ । କିନ୍ତୁ ଜମ୍ମୁ-କଶ୍ମୀର କିମ୍ବା ଉତ୍ତର-ପୂର୍ବରେ ସେନା ଏଭଳି ମାମଲାକୁ ନିଜ ହାତକୁ ନେଇପାରେ।
କୋର୍ଟ ଅଫ୍ ଇନକ୍ୱାରି(ସିଓଆଇ)ରେ ସାକ୍ଷୀଙ୍କ ବୟାନ ରେକର୍ଡ ହୁଏ। ଯାହା କି ଧାରା ୧୬୧ ଅନୁଯାୟୀ ଜଣେ ପୋଲିସ ଅଧିକାରୀଙ୍କ ଦ୍ୱାରା ସାକ୍ଷୀମାନଙ୍କୁ ପଚରାଉଚରା କରିବା ସହିତ ସମାନ। ସିଓଆଇର ତଥ୍ୟ ଆଧାରରେ ଅଭିଯୁକ୍ତ ଅଧିକାରୀଙ୍କ ପାଇଁ କମାଣ୍ଡିଂ ଅଫିସର ଏକ ଅସ୍ଥାୟୀ ଚାର୍ଜସିଟ୍ ପ୍ରସ୍ତୁତ କରିଥାନ୍ତି।
ଏହାପରେ ଅଭିଯୋଗର ଶୁଣାଣି କରାଯାଏ (ଯେପରି ସାଧାରଣ ଭାବେ କୌଣସି ମାମଲାରେ ମାଜିଷ୍ଟ୍ରେଟଙ୍କ ଦ୍ୱାରା ଅଭିଯୁକ୍ତଙ୍କୁ ପ୍ରାଥମିକ ସମନ ପ୍ରଦାନ କରାଯାଏ) ତା’ପରେ ପ୍ରମାଣର ସଂକ୍ଷିପ୍ତ ବିବରଣୀ ରେକର୍ଡ କରାଯାଏ ।
ଏହି ପ୍ରକ୍ରିୟା ଶେଷ ହେବା ପରେ ଜେନେରାଲ କୋର୍ଟ ମାର୍ଶାଲ (ଜିସିଏମ୍)କୁ ସିଭିଲ୍ ମାମଲାର ବିଚାର ପାଇଁ ନ୍ୟାୟିକ ଅଦାଲତ ଦ୍ୱାରା ବିଚାର କରିବାକୁ ନିର୍ଦ୍ଦେଶ ଦିଆଯାଏ।
ଆର୍ମି ଆକ୍ଟ ଅନୁଯାୟୀ ଜଣେ ଅଭିଯୁକ୍ତ ସୈନିକ ପ୍ରି-କନଫର୍ମେସନ୍ ପିଟିସନ୍ ଏବଂ କନଫର୍ମେସନ୍ ପରେ ପିଟିସନ୍ ଦାଖଲ କରିପାରିବେ। ପ୍ରି-କନଫର୍ମେସନ୍ ପିଟିସନ୍ ଆର୍ମି କମାଣ୍ଡରଙ୍କ ନିକଟକୁ ଯାଇଥାଏ ଏବଂ ପୋଷ୍ଟ ପିଟିସନ୍ ସରକାରଙ୍କ ନିକଟକୁ ଯାଇଥାଏ। ଯଦି ଉଭୟ ସ୍ଥାନରୁ ଆଶ୍ୱସ୍ତି ନ ମିଳେ ତେବେ ସଶସ୍ତ୍ର ବାହିନୀ ଟ୍ରିବ୍ୟୁନାଲ (ଏଏଫଟି)ର ଦ୍ୱାରସ୍ଥ ହେବାର ବିକଳ୍ପ ରହିଛି।
ନଜର ପକାନ୍ତୁ ଦଣ୍ଡବିଧାନ ଉପରେ
– ଦେଶଦ୍ରୋହ ଅର୍ଥାତ୍ ଭାରତ ସରକାରଙ୍କ ବିରୁଦ୍ଧରେ କାମ କରିବାକୁ ଚେଷ୍ଟା କଲେ ଆଜୀବନ କାରାଦଣ୍ଡ କିମ୍ବା ଜରିମାନା ହୋଇପାରେ ।
– ଶତ୍ରୁ ଦେଶ ସହ ଯୋଗାଯୋଗ କରିବା, ସୂଚନା ପଠାଇବା ମାମଲାରେ ଜେଲ କିମ୍ବା ମୃତ୍ୟୁଦଣ୍ଡ ହୋଇପାରେ।
– ଜଣେ ସାମରିକ ଅଧିକାରୀ, ସେନା ଯବାନଙ୍କୁ ପ୍ରୋତ୍ସାହନ ଦେବା ପାଇଁ ଆଜୀବନ କାରାଦଣ୍ଡ କିମ୍ବା ୧୦ ବର୍ଷ ପର୍ୟ୍ୟନ୍ତ ଜେଲଦଣ୍ଡ ଏବଂ ଜରିମାନା ହୋଇପାରେ।
– ଏହାବ୍ୟତୀତ ଅଭିଯୁକ୍ତଙ୍କୁ ସେନାରୁ ବହିଷ୍କାର କରାଯାଇପାରେ, ଭବିଷ୍ୟତରେ ତାଙ୍କୁ ମିଳୁଥିବା ସୁବିଧା ବନ୍ଦ ହୋଇପାରେ।
– ଏପରିକି ର୍ୟାଙ୍କ ଅନୁଯାୟୀ ମିଳୁଥିବା ଦରମା ହ୍ରାସ କରାଯାଇପାରିବ।