ନୂଆଦିଲ୍ଲୀ: ଦିଲ୍ଲୀର ମଙ୍ଗ କିଏ ଧରିବେ ସେ ନେଇ କଳ୍ପନାଜଳ୍ପନା ଲାଗି ରହିଛି । ଏବେ ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ପଦ ଜଣେ ମହିଳାଙ୍କୁ ଦିଆଯାଇପାରେ ବୋଲି ଚର୍ଚ୍ଚା ଜୋର ଧରିଛି । ଏହି ପଦ ପାଇଁ ଦୌଡ଼ରେ ଆଗରେ ଅଛନ୍ତି ଶିଖା ରାୟ । ଏହି ପଦ ପୂର୍ବାଞ୍ଚଳରୁ ଆସୁଥିବା ଜଣେ ନେତାଙ୍କୁ ଦିଆଯାଇପାରେ ବୋଲି ମଧ୍ୟ କୁହାଯାଉଛି। ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଦେଶ ଗସ୍ତରୁ ଫେରିବା ପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ବିଜେପି ନେତାମାନେ କହୁଛନ୍ତି ।
ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିଜେପି ବିପୁଳ ବିଜୟ ହାସଲ କରିଛି । ଏବେ ମୁଖ୍ୟମନ୍ତ୍ରୀ ପଦ ପାଇଁ କାହାକୁ ମିଳିବ ତାକୁ ନେଇ କଳ୍ପନାଜଳ୍ପନା ଲାଗି ରହିଛି। ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ପଦ ଜଣେ ମହିଳା ବିଧାୟକଙ୍କୁ ଦିଆଯାଇପାରେ। ବର୍ତ୍ତମାନ ଦଳରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ବିଚାରବିମର୍ଶ ଚାଲିଛି। କୁହାଯାଉଛି ଯେ, ବିଧାୟିକା ଶିଖା ରାୟ ଏହି ଦୌଡ଼ରେ ଆଗରେ ଅଛନ୍ତି। ସେ ଗ୍ରେଟର କୈଳାସ ଆସନରେ ସୌରଭ ଭରଦ୍ୱାଜଙ୍କୁ ପରାସ୍ତ କରିଛନ୍ତି । ଏହି ନିର୍ବାଚନରେ କେବଳ ପାଞ୍ଚ ଜଣ ମହିଳା ବିଜୟୀ ହୋଇ ବିଧାନସଭାରେ ପହଞ୍ଚିଛନ୍ତି। ଏଥିରେ ଚାରି ଜଣ ବିଜେପି ନେତା ରହିଥିବା ବେଳେ ଏକମାତ୍ର ଆପ ନେତ୍ରୀ ହେଉଛନ୍ତି ଅତିଶୀ।
ସେହିପରି ଦୌଡ଼ର ଦ୍ୱିତୀୟରେ ଅଛନ୍ତି ବିଜେପିର ରେଖା ଗୁପ୍ତା । ସେ ଶାଲିମାର ବାଗ ବିଧାନସଭା ଆସନରେ ବିଜୟୀ ହୋଇଛନ୍ତି । ଆପ ପ୍ରାର୍ଥୀ ବନ୍ଦନା କୁମାରୀଙ୍କୁ ହରାଇଛନ୍ତି ରେଖା । ତାଙ୍କ ପରେ ଅଛନ୍ତି ବିଜେପି ନେତ୍ରୀ ପୁନମ ଶର୍ମା । ସେ ୱାଜିରପୁର ଆସନରୁ ଆପର ନୀରଜ ଗୁପ୍ତାକୁ ପରାଜିତ କରିଥିଲେ। ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ମୁଖ୍ୟମନ୍ତ୍ରୀ ଘୋଷଣାକୁ ନେଇ ବିଜେପି ସର୍ବଦା ଚକିତ କଲାଭଳି ନିଷ୍ପତ୍ତି ନେଇଥାଏ। ଦଳ ଅଳ୍ପ ପରିଚିତ ମୁହଁକୁ ମଧ୍ୟ ମୁଖ୍ୟମନ୍ତ୍ରୀ କରିପାରେ। ରାଜନୈତିକ ସମୀକରଣ ଦେଖିଲେ ଦଳର ଶୀର୍ଷ ନେତୃତ୍ୱ ପୂର୍ବାଞ୍ଚଳରୁ କାହା ନାମ ଉପରେ ବିଚାର କରିପାରନ୍ତି। ତେବେ ବିଜେପି ନେତାଙ୍କ କହିବାନୁସାରେ ପ୍ରଧାନମନ୍ତ୍ରୀ ମୋଦୀ ବିଦେଶ ଗସ୍ତରୁ ଫେରିବା ପରେ ଏନେଇ ଚୂଡ଼ାନ୍ତ ନିଷ୍ପତ୍ତି ନେବେ।