ଭୁବନେଶ୍ୱର: ଆଜି ହେଉଛି ସରସ୍ୱତୀ ପୂଜା । ସ୍କୁଲ,କଲେଜଠାରୁ ଆରମ୍ଭ କରି ବିଭିନ୍ନ ସ୍ଥାନରେ ଧୂମ୍ଧାମ୍ରେ କରାଯାଉଛି ଏହି ପୂଜା । ପ୍ରତିବର୍ଷ ମାଘ ମାସର ଶୁକ୍ଲ ପକ୍ଷରେ ଦେବୀ ସରସ୍ୱତୀଙ୍କ ପୂଜା କରାଯାଇଥାଏ । ସନାତନ ଧର୍ମରେ ମାତା ସରସ୍ୱତୀଙ୍କ ଉପାସନର ବିଶେଷ ମହତ୍ତ୍ୱ୍ୱ ରହିଛି, କାରଣ ମା’ସରସ୍ୱତୀ ଜ୍ଞାନର ଦେବୀ । ତେଣୁ ଛାତ୍ରଛାତ୍ରୀମାନେ ପ୍ରତିବର୍ଷ ଏହି ଦିନକୁ ଉତ୍ସାହର ସହ ଅପେକ୍ଷା କରିଥାନ୍ତି । ସମସ୍ତେ ବିଭିନ୍ନ ରଙ୍ଗର ନୂଆ ପୋଷାକ ପିନ୍ଧି ସଜବାଜ ହୋଇ ଦେବୀଙ୍କ ପୂଜାରେ ନିଜକୁ ମଗ୍ନ କରିଥାନ୍ତି ।
ବସନ୍ତ ପଞ୍ଚମୀ ଏବଂ ହଳଦିଆ ରଙ୍ଗ ମଧ୍ୟରେ ଏକ ସଂଯୋଗ ଅଛି । ଏହି ଦିନ ମା’ ସରସ୍ୱତୀଙ୍କ ପୂଜା ସମୟରେ ହଳଦିଆ ଫୁଲ ଅର୍ପଣ କରାଯାଏ । ବସନ୍ତ ପଞ୍ଚମୀରେ ହଳଦିଆ ରଙ୍ଗର ପୋଷାକ ପିନ୍ଧିବା ମଧ୍ୟ ବିଶେଷ ମହତ୍ତ୍ୱ ରହିଛି । ଏହି ଦିନ ୬ ପ୍ରକାର ପନିପରିବା ରାନ୍ଧି ଖାଇବା ନିୟମ ରହିଛି। ଏସବୁ ବ୍ୟତୀତ ସରସ୍ୱତୀ ପୂଜାର ଆଉ ଏକ ପରମ୍ପରା ଅଛି । ତାହା ହେଉଛି ଏହି ଦିନ ଇଲିସି ମାଛ ଖାଇବା । ଆସନ୍ତୁ ଜାଣିବା ଏହାର କାରଣ ।
ସରସ୍ୱତୀ ପୂଜା ସହ ଏହି ଇଲିସିି ମାଛର କୌଣସି ପ୍ରତ୍ୟକ୍ଷ ସମ୍ପର୍କ ନାହିଁ । ଏହି ପୂଜା ପୂର୍ବ କୋଲକତାର ବଙ୍ଗୀୟମାନଙ୍କ ପାଇଁ ଇଲିସି ଖାଇବାର ସିଜିନ ଆରମ୍ଭ ବୋଲି ଜଣାଯାଏ । ପରିବାରର ପୁରୁଷ ସଦସ୍ୟ ଯୋଡ଼ା ଇଲିଶ ଆଣିଥାନ୍ତି ଓ ପରିବାରର ମହିଳାମାନେ ମାଛରେ ହଳଦୀ , ସୋରିଷ ତେଲ, ସିନ୍ଦୁର ଆଦି ଲଗାଇ ମାଛକୁ ସ୍ୱାଗତ କରିଥାନ୍ତି । ଏହାକୁ ଦେବୀଙ୍କୁ ପ୍ରସାଦ ଲଗାଇ ତାପରେ ଘରର ଲୋକମାନେ ସେବନ କରିଥାନ୍ତି । ଏପରି କଲେ ପରିବାରରେ ସୁଖସମୃଦ୍ଧି ହେବା ସହ ଶୁଭଫଳ ମଧ୍ୟ ମିଳିଥାଏ । ସେଥିପାଇଁ ସରସ୍ୱତୀ ପୂଜା ଦିନ ଇଲିସିର ଦାମ ମଧ୍ୟ ବଢିଯାଏ । ଚଢା ଦରରେ ଦୋକାନୀ ଗ୍ରାହକଙ୍କୁ ମାଛ ବିକ୍ରି କରିଥାନ୍ତି ।
କୋଲକତାର ଅଧିକାଂଶ ଲୋକ ଅକ୍ଟୋବରରୁ ଫେବୃୟାରୀ ମଧ୍ୟରେ ଇଲିସି ଖାଇବାକୁ ବାରଣ କରିଥାନ୍ତି । ଖାସ୍କରି ଦୁର୍ଗା ପୂଜା ପରଠୁ ସେମାନେ ଖାଇବା ଛାଡ଼ିଦେଇଥାନ୍ତି । ବସନ୍ତ ପଞ୍ଚମୀରେ ପୁଣି ଖାଇବା ଆରମ୍ଭ କରନ୍ତି ।