ନୂଆଦିଲ୍ଲୀ: ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ‘ଜୟ ଶ୍ରୀରାମ’ କହି ହାତ ମିଳାଇଲେ ମହିଳା ସାଂସଦ । ଏହାର ଜବାବରେ ପ୍ରିୟଙ୍କା ପ୍ରଥମେ ‘ଜୟ ହିନ୍ଦ’ ବୋଲି କହିଥିଲେ । ହେଲେ ପରେ ‘ଜୟ ଶ୍ରୀରାମ’ ନୁହେଁ, ଜୟ ‘ସୀୟାରାମ୍’ କହିବାକୁ କହିଲେ ପ୍ରିୟଙ୍କା । ଏପରି କିଛି ଦୃଶ୍ୟ ଦେଖିବାକୁ ମିଳିଛି ସଂସଦ ପରିସରରେ, ଯାହାର ଭିିଡ଼ିଓ ଏବେ ସୋସିଆଲ ମିିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।
ନିକଟରେ କେରଳ ୱାଇନାଡ୍ ଆସନରୁ ଲୋକସଭା ସାଂସଦ ଭାବେ ବିଜୟୀ ହୋଇଛନ୍ତି ପ୍ରିୟଙ୍କା ଗାନ୍ଧୀ। ପ୍ରଥମ ଥର ପାଇଁ ସେ ସଂସଦର ଶୀତକାଳୀନ ଅଧିବେଶନରେ ଯୋଗ ଦେଇଛନ୍ତି। ଲୋକସଭାରେ ତାଙ୍କୁ ୫୧୭ ନମ୍ବର ସିଟ୍ ଆଲର୍ଟ କରାଯାଇଛି। ତେବେ ବୁଧବାର ପ୍ରିୟଙ୍କା ଯେତେବେଳେ ସଂସଦରେ ପହଁଞ୍ଚିିଥିଲେ ସେଠାରେ କିଛି ମହିଳା ସାଂସଦ ତାଙ୍କୁ ଘେରିଯାଇଥିଲେ । ହାତ ମିଳାଇବା ସହ ‘ଜୟ ଶ୍ରୀ ରାମ’ ବୋଲି ପ୍ରିୟଙ୍କାଙ୍କୁ କହିଥିଲେ।
ଭାଇରାଲ ଭିଡ଼ିଓରେ ଦେଖିବାକୁ ମିଳିଛି ଯେ, କିଛି ମହିଳା ସାଂସଦ ସଂସଦ ପରିସରରେ ପ୍ରିୟଙ୍କାଙ୍କୁ ଭେଟୁଛନ୍ତି। ଯେତେବେଳେ ପ୍ରିୟଙ୍କା ତାଙ୍କ ସହ ହାତ ମିଳାଉଛନ୍ତି, ସେ ଏହି ସମୟରେ ଜୟ ଶ୍ରୀରାମ କହୁଛନ୍ତି। ଏହାର ଜବାବରେ ପ୍ରିୟଙ୍କା ପ୍ରଥମେ ‘ଜୟ ହିନ୍ଦ’ ବୋଲି କହିଥିଲେ। ତା ପରେ କହିଥିଲେ, ଶୁଣନ୍ତୁ ଆମେ ଯେତେବେଳେ ମହିଳା ତେଣୁ ଜୟ ‘ସୀୟାରାମ୍’ କହିବା ଉଚିତ। ସୀତାଙ୍କ ନାଁ ନେବା ଛାଡନ୍ତୁ ନାହିଁ। ପ୍ରିୟଙ୍କା ଏହା କହିବା ପରେ ମହିଳା ସାଂସଦମାନେ ହସୁଥିବା ଭିଡ଼ିଓରେ ଦେଖିବାକୁ ମିଳିଛି।
ଏହି ଭିଡ଼ିଓକୁ କଂଗ୍ରେସ ମୁଖପାତ୍ର ସୁପ୍ରିୟା ଶ୍ରୀନେତଙ୍କ ସହ କଂଗ୍ରେସ ନେତାମାନେ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି। ପ୍ରିୟଙ୍କାଙ୍କ ପ୍ରଶଂସା କରି ସୁପ୍ରିୟା କହିଛନ୍ତି, ‘ଜୟ ସିୟାରାମ୍’, ଆମେ ମହିଳା। ସୀତାଙ୍କୁ ଛାଡନ୍ତୁ ନାହିଁ। ମହିଳା ସାଂସଦଙ୍କ ଜୟ ଶ୍ରୀରାମ୍ ଅଭିବାଦନର ଜବାବରେ ପ୍ରିୟଙ୍କା ତାଙ୍କୁ ସୀତା ମାତାଙ୍କୁ ମନେପକାଇ ଦେଇଥିଲେ, ଯାହାଙ୍କ ବିନା ଭଗବାନ ରାମଙ୍କ ନାଁ ଅଧୁରା।