ନୂଆଦିଲ୍ଲୀ: ଆଉ ମାତ୍ର ଦିନ କେଇଟା ପରେ ବଡ଼ଦିନ । ଅର୍ଥାତ୍ ଖ୍ରୀଷ୍ଟ ଧର୍ମାବଲମ୍ବୀଙ୍କ ବଡ଼ ପର୍ବ ଖ୍ରୀଷ୍ଟମାସ । ଏଥିପାଇଁ କେବଳ ଖ୍ରୀଷ୍ଟଧର୍ମାବଲମ୍ବୀ ନୁହନ୍ତି, ସମସ୍ତଙ୍କ ମନରେ ଉତ୍ସାହ । ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ସ୍ୱାଗତ କରିବା ପାଇଁ ଚର୍ଚ୍ଚଠାରୁ ଆରମ୍ଭ କରି ବିଭିନ୍ନ ଶୋ’ରୁମ୍ ସବୁଠି ଆରମ୍ଭ ହୋଇଗଲାଣି ପ୍ରସ୍ତୁତି । ଏହାକୁ ଦୃଷ୍ଟିରେ ଦେଖି ବଜାରକୁ ଆସିଛି ନୂଆ ନୂଆ ସାମଗ୍ରୀ। ଖାସ୍କରି ଖ୍ରୀଷ୍ଟମାସ ପର୍ବର ମୁଖ୍ୟ ଆକର୍ଷଣ ହୋଇଥାଏ ଖ୍ରୀଷ୍ଟମାସ ଟ୍ରି। ଏବେ ସୋସିଆଲ ମିଡ଼ିଆରେ ଏକ ଖ୍ରୀଷ୍ଟମାସ ଟ୍ରି ଭାଇରାଲ ହେଉଛି, ଯାହା ସୁନାରେ ତିଆରି । ଆଉ ଏହାର ମୂଲ୍ୟ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ପିରାମିଡ୍ ଆକୃତିର ଏହି ସୁନାର ଖ୍ରୀଷ୍ଟମାସ ଟ୍ରିକୁ ଦେଖିବାକୁ ପ୍ରତ୍ୟେକ ଦିନ ଲୋକଙ୍କର ଭିଡ଼ ଜମୁଛି । ଏହା ବିଶ୍ୱର ସବୁଠାରୁ ମହଙ୍ଗା ଖ୍ରୀଷ୍ଟମାସ ଟ୍ରିର ପରିଚୟ ପାଇଛି ।
ଜର୍ମାନୀ ମ୍ୟୁନିକର ସୁନା ବ୍ୟବସାୟ କରୁଥିବା କମ୍ପାନୀ ପ୍ରୋ ଆରୋମ୍ ଏବେ ଖୁବ୍ ଚର୍ଚ୍ଚାରେ । ଚର୍ଚ୍ଚାର କାରଣ ହେଉଛି ଏହା ଏପରି ଏକ ଖ୍ରୀଷ୍ଟମାସ ଟ୍ରି ନିର୍ମାଣ କରିଛି, ଯାହା ଦୁନିଆର ସବୁଠାରୁ ମହଙ୍ଗା ଖ୍ରୀଷ୍ଟମାସ ଟ୍ରି ମଧ୍ୟରୁ ଅନ୍ୟତମ । ଏହା ସୁନା ମାଷ୍ଟରପିସଟି ୨,୦୨୪ ସୁନା ଭିଏନା ଫିଲହର୍ମୋନିକ୍ ମୁଦ୍ରାର ବ୍ୟବହାର କରି ନିର୍ମିତ ହୋଇଛି । ଏହା ୬୦ କିଲୋଗ୍ରାମରୁ ଅଧିକ ଓଜନ ବିଶିଷ୍ଟ ଅଟେ । ଏଥିରେ ୨୪ କ୍ୟାରେଟ୍ ସୁନା ବ୍ୟବହାର କରାଯାଇଛି । ଆଉ ଏହାର ମୂଲ୍ୟ ହେଉଛି ୪୬ କୋଟି ।
ପ୍ରୋ ଆରୋମ୍ ର ପ୍ରତିନିଧୀ ବେଞ୍ଜାମିନ୍ ସୁମ୍ମାଙ୍କ କହିବା କଥା, ଏହି ବର୍ଷ ଆମେ ଏକ ବିଶେଷ ଖ୍ରୀଷ୍ଟମାସ ଟ୍ରି ପ୍ରଦର୍ଶନ କରିବାକୁ ଚାହୁଁଥିଲୁ। କମ୍ପାନୀର ୩୫ତମ ବାର୍ଷିକୀ ପାଳନ ଅବସରରେ ୧୦ ଫୁଟ ଉଚ୍ଚର ସୁନା ଖ୍ରୀଷ୍ଟମାସ ଟ୍ରି ତିଆରି କରାଯାଇଛି । ନିଜର ଇଚ୍ଛାରେ ସୁନାକୁ ତିଆରି କରାଯାଇ ପାରିବ ନାହିଁ ଓ ପିଢି ରୁ ପିଢି ଏହାର ମୂଲ୍ୟ ବଜାୟ ରହିଥାଏ । ସୁବର୍ଣ୍ଣ ‘ଖ୍ରୀଷ୍ଟମାସ ଟ୍ରି’ ମୂଲ୍ୟବାନ ଧାତୁର ଏହି କାଳଜୟୀ ଅର୍ଥକୁ ଶକ୍ତିଶାଳୀ ଭାବରେ ପ୍ରତିଫଳିତ କରୁଛି ।