ନୂଆଦିଲ୍ଲୀ: ହଠାତ୍ ସୋସିଆଲ ମିଡିଆରେ ଚର୍ଚ୍ଚାକୁ ଆସିଯାଛନ୍ତି ଲାର୍ସନ୍ ଆଣ୍ଡ ଟୋବ୍ରୋ ଅଧ୍ୟକ୍ଷ ଏସ୍ ଏନ୍ ସୁବ୍ରମଣ୍ୟମ୍। କର୍ମଚାରୀଙ୍କ ୱାର୍କ ଟାଇମକୁ ନେଇ ସୁବ୍ରହ୍ମଣ୍ୟମ ଏକ ଅଜବ ବୟାନ ଦେଇଛନ୍ତି । ପ୍ରତିଦ୍ୱନ୍ଦ୍ୱିତାରେ ରହିବା ପାଇଁ ହେଲେ ପ୍ରତ୍ୟେକ ଲୋକ ସପ୍ତାହରେ ୯୦ ଘଣ୍ଟା କାମ କରିବା ଉଚିତ୍ । ଏମିତି କି ରବିବାର ତଥା ଛୁଟି ଦିନରେ ସ୍ତ୍ରୀଙ୍କୁ ନ ଅନେଇ କାମ କରିବା ଦରକାର । ଏପରି ମନ୍ତବ୍ୟକୁ ସଫଳତାର ମନ୍ତ୍ର ବୋଲି ମଧ୍ୟ କହିଥିଲେ । ସୁବ୍ରମଣ୍ୟମଙ୍କ ଏହି ବୟାନକୁ ନେଇ ବିବାଦ ଦେଖାଦେଇଛି ।
କିଛି ଦିନ ପୂର୍ବରୁ ଇନଫୋସିସର ସହ ପ୍ରତିଷ୍ଠାତା ନାରାୟଣ ମୂର୍ତ୍ତି ପ୍ରତ୍ୟେକ ଲୋକ ସପ୍ତାହକୁ ୭୦ ଘଣ୍ଟା କାମ କରିବା ଦରକାର ବୋଲି କହିଥିଲେ । ଏବେ ଏସଏନ ସୁବ୍ରମଣ୍ୟମ କହିଛନ୍ତି ଯେ, ସପ୍ତାହକୁ ୯୦ ଘଣ୍ଟା କାମ କରିବା ଉଚିତ। ଏହାର ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଘୂରି ବୁଲୁଛି । ଏପରି ପରାମର୍ଶ ଦେଇ ବିବାଦ ସୃଷ୍ଟି କରିଛନ୍ତି। ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ, ଏଲ୍ ଆଣ୍ଡ୍ ଟି ଏହାର କର୍ମଚାରୀମାନଙ୍କୁ ଶନିବାର ଦିନ କାହିଁକି କାମ କରାଇଥାଏ ବୋଲି ପଚରାଯିବାରୁ ସୁବ୍ରମଣ୍ୟମ୍ କହିଛନ୍ତି, ସତ କହିବାକୁ ଗଲେ ମୁଁ ଦୁଃଖିତ ଯେ ମୁଁ ରବିବାର ଦିନ ଆପଣଙ୍କୁ କାମ କରାଇପାରୁ ନାହିଁ। ଯଦି ମୁଁ ତୁମକୁ ରବିବାର ଦିନ କାମ କରାଇପାରିବି ତେବେ ମୁଁ ଅଧିକ ଖୁସି ହେବି, କାରଣ ମୁଁ ରବିବାର ଦିନ ମଧ୍ୟ କାମ କରେ ।
କର୍ମଚାରୀମାନେ ରବିବାର ଘରେ ସମୟ ବିତାଇବା ଉଚିତ୍ ନୁହେଁ । କେତେ ସମୟ ଆପଣ ନିଜ ସ୍ତ୍ରୀଙ୍କୁ ଚାହିଁ ରହିବେ । ତେଣୁ ସେଦିନ ବି କାମ କରିବା ଉଚିତ୍ । ସୁବ୍ରମଣ୍ୟମଙ୍କ ଏହି ବୟାନକୁ ନେଇ ବିବାଦ ଦେଖାଦେଇଛି । ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ କହିଛନ୍ତି ଯେ ଏପରି ଉଚ୍ଚ ପଦବୀରେ ଥିବା ଲୋକ ଏପରି ବୟାନ ଦେବା ଆଶ୍ଚର୍ଯ୍ୟଜନକ ।