ବିବାଦ ପରେ ଆକ୍ସନ ନେଲା ୟୁଟ୍ୟୁବ୍ : ସମନ ପଠାଇଲା ପୋଲିସ

ମୁମ୍ବାଇ: ‘ଇଣ୍ଡିଆ ଗଟ୍‌୍ ଲାଟେଣ୍ଟ’ ଶୋ’ରେ ବାପା ମାଙ୍କ ସଂପର୍କରେ ଅରୁଚିକର ମନ୍ତବ୍ୟ ଦେଇ ଏବେ ଅଡୁଆରେ ପଡିଛନ୍ତି ନାମୀଦାମୀ ୟୁଟ୍ୟୁବର ରଣବୀର ଆହ୍ଲାବାଦିଆ । ରଣବୀରଙ୍କ ବୟାନ ଏବେ ସୋସିଆଲ ମିଡିଆର ଉଷ୍ମତା ବଢାଇଥିବା ବେଳେ ଚାରିଆଡୁ ତାଙ୍କୁ ଟ୍ରୋଲ ମଧ୍ୟ କରାଯାଇଛି । ଏମିତିକି କେନ୍ଦ୍ର ପକ୍ଷରୁ ମଧ୍ୟ ନୋଟିସ୍ ଜାରି କରାଯାଇଛି । ଯାହାପରେ ଏବେ ଆକ୍ସନ ମୋଡକୁ ଆସିଛି ୟୁଟ୍ୟୁବ୍ । କେନ୍ଦ୍ରରୁ ନୋଟିସ୍ ପାଇବା ପରେ ଏବେ ୟୁଟ୍ୟୁବ୍ ରଣବୀରଙ୍କ ବିବାଦୀୟ ବୟାନ ରହିଥିବା ଏପିସୋଡକୁ ହଟାଇ ଦେଇଛି ।

ବିବାଦୀୟ ବୟାନ ଦେଇ ଏବେ ଅଡୁଆରେ ଫସିଛନ୍ତି ରଣବୀର ଆହ୍ଲାବାଦିଆ । ବିବାଦକୁ ଆସିବା ପରେ ଉକ୍ତ ବୟାନକୁ ନେଇ ସେ କ୍ଷମା ପ୍ରାର୍ଥନା କରିଥିଲେ ମଧ୍ୟ ତାଙ୍କ ଅଡୁଆ ତୁଟିନି । ମୁମ୍ବାଇ ପୋଲିସ୍ ବର୍ତ୍ତମାନ ଚାଲିଥିବା ବିବାଦ ସମ୍ପର୍କରେ ପଚରାଉଚରା ପାଇଁ ଆଲ୍ଲାବାଦିଆ ଏବଂ ସମୟ ରାଇନାଙ୍କୁ ସମନ ଜାରି କରିଛି । ଏହାକୁ ନେଇ କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ଜଣେ ବରିଷ୍ଠ ପରାମର୍ଶଦାତା କଞ୍ଚନ ଗୁପ୍ତା ଟ୍ୱିଟ୍ କରି କହିଛନ୍ତି, ଭାରତ ସରକାରଙ୍କ ନିର୍ଦ୍ଦେଶ ପରେ ରଣବୀର ଆଲ୍ଲାବାଦିଆଙ୍କ ଅଶ୍ଳୀଳ ଏବଂ ବିକୃତ ମନ୍ତବ୍ୟ ସହିତ ୟୁଟ୍ୟୁବ୍ ରେ ‘ଇଣ୍ଡିଆ ଗଟ୍‌୍ ଲାଟେଣ୍ଟ’ ଏପିସୋଡକୁ ମଧ୍ୟ ଅବରୋଧ କରାଯାଇଛି । ଭାରତ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଉକ୍ତ ଭିଡିଓକୁ ହଟାଇ ଦିଆଯାଇଛି ।

ରଣବୀର ଆହ୍ଲାବାଦିଆ, ଫେମସ ୟୁଟ୍ୟୁବର । ବିଅର ବାଇସେପ୍ସ ନାମରେ ତାଙ୍କର ଏକ ପୋଡକାଷ୍ଟ ଚ୍ୟାନେଲ ରହିଥିବା ବେଳେ ଏଥିରେ ବର୍ତ୍ତମାନ ୧୦.୫ ମିଲିୟନ ଫଲୋଅର୍ସ ରହିଛନ୍ତି । ଏହି ନିକଟରେ ସେ ସମୟ ରାଇନାଙ୍କ ହିଟ ଷ୍ଟାଣ୍ଡ କମେଡି ଶୋ’ରେ ଜଜ୍ ହୋଇ ଯାଇଥିବା ବେଳେ ଏଥିରେ ବାପାମାଙ୍କ ସଂପର୍କକୁ ନେଇ କିଛି ଆପତ୍ତିଜନକ ମନ୍ତବ୍ୟ ରଖିଥିଲେ ରଣବୀର । ଯାହାକୁ ନେଇ ଖୁବ୍ ଅସନ୍ତୋଷ ପ୍ରକାଶ କରିଥିଲେ ୟୁଜର୍ସ । ଏମିତିକି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଅନେକ ଦଳୀୟ ନେତା ମଧ୍ୟ ଏହାକୁ ନିନ୍ଦା କରିଥିଲେ । ଏହାପରେ ରଣବୀର ଏକ ଭିଡିଓ ଜାରି କରି କ୍ଷମା ପ୍ରାର୍ଥନା କରିଥିଲେ ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *